ୟୁଜିସି ନୂତନ ନିୟମାବଳୀ ପ୍ରତ୍ୟାହାର ଦାବିରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ଦାବିପତ୍ର
ଜାଗ୍ରତ ଓଡ଼ିଶା ବ୍ୟୁରୋ, Kalahandi ·

ୟୁଜିସି ରେଗୁଲେସନ ୨୦୨୬କୁ ନେଇ ଅସନ୍ତୋଷ ପ୍ରକାଶ କରି ଏହାର ତୁରନ୍ତ ପ୍ରତ୍ୟାହାର ଦାବିରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବ୍ରାହ୍ମଣ ସମାଜର ଅଭିଯୋଗ ଅନୁଯାୟୀ, ନୂତନ ରେଗୁଲେସନ ଉଚ୍ଚଶିକ୍ଷା କ୍ଷେତ୍ରରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଭେଦଭାବ ସୃଷ୍ଟି କରିବା ସହ ସମାନତାର ଅଧିକାରକୁ ପ୍ରଭାବିତ କରିପାରେ। ସମ୍ବିଧାନର ଧାରା ୧୪ରେ ଉଲ୍ଲେଖିତ ସମାନତାର ଅଧିକାର ଓ ସାମାଜିକ ସଦ୍ଭାବନାର ସୁରକ୍ଷା ଦୃଷ୍ଟିରୁ ଏହି ନିୟମାବଳୀର ପୁନର୍ବିଚାର କରିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ସଂଗଠନ ଦାବି ଜଣାଇଛି। ଜିଲ୍ଲା ଉପସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ନେତୃତ୍ୱରେ ସମାଜର ସଦସ୍ୟ ଓ ସଦସ୍ୟାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇଥିଲେ। ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଦାବି ସମ୍ବଳିତ ସ୍ମାରକପତ୍ର ହସ୍ତାନ୍ତର କରିଥିଲେ। ଏହି ଅବସରରେ ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ, ଭବାନୀପାଟଣା ନଗର କମିଟିର ଉପସଭାପତି ଆଦିତ୍ୟ ମିଶ୍ର, ସମ୍ପାଦକ ଶେଷଦେବ ମିଶ୍ର, ବରିଷ୍ଠ ଆଇନଜୀବୀ ସନ୍ତୋଷ ପଣ୍ଡା, ନିହାର ରଞ୍ଜନ ମିଶ୍ର, ଦେବୀ ପ୍ରସାଦ ଦାଶ, ଚକ୍ରଧର ଦାଶ, ସୁଦେଷ୍ଣା ପଣ୍ଡା, ଗୀତାଞ୍ଜଳି ବେହେରା, ଅର୍ଚ୍ଚନା ମିଶ୍ର, ସବିତା ଶତପଥୀ, ଶଶାଙ୍କ ଦାଶ, ସନ୍ତୋଷ ଦାଶ, ଉମାଶଙ୍କର ମୁଣ୍ଡ ଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସମେତ ସମାଜର ବହୁ ସଦସ୍ୟ ଉପସ୍ଥିତ ରହି ଦାବି ପ୍ରତି ସମର୍ଥନ ଜଣାଇଥିଲେ।
