Jagrut Odisha

ଅବହେଳିତ ବ୍ରାହ୍ମଣୀ ଗ୍ରାମର ଐତିହାସିକ ରାଣୀଡୁଙ୍ଗୁରି ପାହାଡ଼ର ବିକାଶ ପାଇଁ ମା’ ନବଦୁର୍ଗା ମନ୍ଦିର କମିଟି ଗଠନ !

ଜାଗ୍ରତ ଓଡ଼ିଶା ବ୍ୟୁରୋ, Muribahal ·

ଅବହେଳିତ ବ୍ରାହ୍ମଣୀ ଗ୍ରାମର ଐତିହାସିକ ରାଣୀଡୁଙ୍ଗୁରି ପାହାଡ଼ର ବିକାଶ ପାଇଁ ମା’ ନବଦୁର୍ଗା ମନ୍ଦିର କମିଟି ଗଠନ !
ଅବହେଳିତ ବ୍ରାହ୍ମଣୀ ଗ୍ରାମର ଐତିହାସିକ ରାଣୀଡୁଙ୍ଗୁରି ପାହାଡ଼ର ବିକାଶ ପାଇଁ ମା’ ନବଦୁର୍ଗା ମନ୍ଦିର କମିଟି ଗଠନ !

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ପ୍ରସିଦ୍ଧ ଐତିହାସିକ ଓ କିମ୍ବଦନ୍ତୀପୂର୍ଣ୍ଣ ରାଣୀଡୁଙ୍ଗୁରି ପାହାଡ଼ର ସାମଗ୍ରିକ ବିକାଶ, ମା’ ନବଦୁର୍ଗା ମନ୍ଦିରର ସୁପରିଚାଳନା ଓ ପାହାଡ଼ର ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟରେ ଆଖପାଖର ୧୦ ଖଣ୍ଡ ଗ୍ରାମବାସୀଙ୍କୁ ନେଇ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଥିଲା। କିମ୍ବଦନ୍ତୀ ଓ ଲୋକବିଶ୍ୱାସ ସହ ଜଡ଼ିତ ଏହି ପାହାଡ଼ରେ ରାଣୀପାହା, ରାଣୀଚୁଆଁ ଓ ରାଣୀମୁଣ୍ଡା ଭଳି ଐତିହାସିକ ମହତ୍ତ୍ୱ ବହନ କରୁଥିବା ସ୍ଥାନ ରହିଛି। ପାହାଡ଼ର ପଶ୍ଚିମ ପାର୍ଶ୍ୱରେ ୨୫ ଏକରରୁ ଅଧିକ ପରିମିତ ଏକ ବିସ୍ତୃତ ସମତଳ ପଡ଼ିଆ ଥିବାରୁ ଏହାର ଐତିହାସିକ ଗୁରୁତ୍ୱ ଉପରେ ଗବେଷଣାର ଆବଶ୍ୟକତା ରହିଛି। ଏକଦା ଶିବପୂଜାର ପୀଠ ଥିବା ଏହି ପାହାଡ଼ ଶିଖରରେ ବର୍ତ୍ତମାନ ଦୀର୍ଘ ବର୍ଷ ଧରି ମା’ ନବଦୁର୍ଗା ପୂଜା ପାଇଆସୁଛନ୍ତି। ପ୍ରତି ରବିବାର ମା’ଙ୍କ ବରୁଆଙ୍କ ଦେହରେ ଦେବୀ ଆବିର୍ଭାବ ହେବାର ଲୋକବିଶ୍ୱାସ ରହିଥିବା ବେଳେ ପ୍ରତିବର୍ଷ ଧୁମଧାମରେ ଶାରଦୀୟ ଦୁର୍ଗାପୂଜା ଓ ବିଭିନ୍ନ ସାଂସ୍କୃତିକ ଆୟୋଜନ ହୋଇଥାଏ। ଏହି ପରିପ୍ରେକ୍ଷୀରେ ମନ୍ଦିରର ପରିଚାଳନା ଓ ରାଣୀଡୁଙ୍ଗୁରିର ବିକାଶ ପାଇଁ ‘ରାଣୀଡୁଙ୍ଗୁରି ମା’ ନବଦୁର୍ଗା ମନ୍ଦିର କମିଟି, ବ୍ରାହ୍ମଣୀ’ ନାମରେ ଏକ ୧୧ ଜଣିଆ କମିଟି ସର୍ବସମ୍ମତିକ୍ରମେ ଗଠନ କରାଯାଇଥିଲା। କମିଟିର ସଭାପତି ଭାବେ ଫକୀର ମୋହନ ଖମାରୀ, ସାଧାରଣ ସମ୍ପାଦକ ଭାବେ ବିଷମ କୁମାର ପଧାନ, କୋଷାଧ୍ୟକ୍ଷ ଭାବେ ବୈକୁଣ୍ଠ ରଣା, ଉପସଭାପତି ଭାବେ ସୁରୁ ଭୋଇ, କାର୍ଯ୍ୟକାରୀ ସଭାପତି ଭାବେ ଦୁଷ୍ମନ୍ତ ସାହୁ, ସମ୍ପାଦକ ଭାବେ ହେମରାଜ ରଣା, ସହସମ୍ପାଦକ ଭାବେ ପ୍ରଶାନ୍ତ ଭୋଇ ଏବଂ ସଭ୍ୟ ଭାବେ କମଳ ରଣା, ଦେବାର୍ଚ୍ଚନ ଥପା, ସାଗର ସାହୁ ଓ ଗୋପବନ୍ଧୁ ଭୋଇଙ୍କୁ ମନୋନୀତ କରାଯାଇଥିଲା। ଏଥିସହ ଫାଲଗୁନି ହାତି, ସୋପିନ୍ଦ୍ର ଜାନି, ଭୀମସେନ ଭୋଇ, ଧର୍ମରାଜ ପଧାନ, ନରେଶ ପଧାନ, ଶମ୍ଭୁ ରଣା, ମନୁ ଭୋଇ, କାର୍ତ୍ତିକ ରଣା, ନିଲାମ୍ବର ରଣା, ଅଙ୍ଗଦ ରଣା, ଚଇତନ ରଣା ଓ ସନ୍ତୋଷ ଭୋଇଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା। କମିଟି ନାମରେ ଶୀଘ୍ର ଏକ ଯୁଗ୍ମ ବ୍ୟାଙ୍କ ଜମାଖାତା ଖୋଲିବା ସହ ଅର୍ଦ୍ଧନିର୍ମିତ ମନ୍ଦିର କାର୍ଯ୍ୟ ଓ ପାହାଡ଼ ଉପରକୁ ଯାଇଥିବା ଅସମ୍ପୂର୍ଣ୍ଣ କଂକ୍ରିଟ ରାସ୍ତାର ନିର୍ମାଣ ଶେଷ କରିବା ଏବଂ ପାହାଡ଼ର ସାମଗ୍ରିକ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ଦିଗରେ କାର୍ଯ୍ୟ କରିବାକୁ ନୂତନ କମିଟିକୁ ଦାୟିତ୍ୱ ଦିଆଯାଇଥିଲା। ଶେଷରେ ପୁଇନ ରଣା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।