Jagrut Odisha

ମୁରିବାହାଲ ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା।

ଜାଗ୍ରତ ଓଡ଼ିଶା ବ୍ୟୁରୋ, Muribahal ·

ମୁରିବାହାଲ ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା।
ମୁରିବାହାଲ ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା।

ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକ ଜ୍ଞାନ ଓ ଜୀବନ ଦର୍ଶନର ଅନନ୍ୟ ଆଧାର ଶ୍ରୀମଦ୍‌ଭଗବଦ୍‌ଗୀତାର ମହତ୍ତ୍ୱକୁ ନୂତନ ପିଢ଼ି ମଧ୍ୟରେ ପ୍ରସାର କରିବା ଏବଂ ସଂସ୍କୃତ ଭାଷା ପ୍ରତି ରୁଚି ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଜ୍ଞାନ ମିଶନ୍‌ ପକ୍ଷରୁ ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ବ୍ଲକସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିବିକ୍ରମ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋଦଣ୍ଡଧର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୀତାର ଜୀବନମୁଖୀ ଶିକ୍ଷା ମଣିଷକୁ ସତ୍‌କର୍ମ, ଶୃଙ୍ଖଳା ଓ ନୈତିକତାର ପଥରେ ଆଗେଇ ନେବା ସହ ଉତ୍ତମ ଚରିତ୍ର ଗଠନରେ ସହାୟକ ହୁଏ ବୋଲି ମତ ରଖିଥିଲେ। ସଂସ୍କୃତଭାରତୀ, ଉତ୍କଳ (ପଶ୍ଚିମପ୍ରାନ୍ତ)ର ପ୍ରାନ୍ତ ପ୍ରଚାର ପ୍ରମୁଖ ତଥା ପଥରଚେପା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର ପ୍ରତିଯୋଗିତାର ସଂଯୋଜନା ଓ ସମନ୍ୱୟ ଦାୟିତ୍ୱ ନିର୍ବାହ କରିଥିଲେ। ସଂସ୍କୃତ ଶିକ୍ଷକ ଅଜିତ୍‌ ମହାକୁର ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଲେବଡା ପିଏମ୍‌ଶ୍ରୀ ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତୋଷ କୁମାର ସାହୁ ସଭା ପରିଚାଳନା କରିଥିଲେ ଏବଂ ଅରବିନ୍ଦ ଦାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିଯୋଗିତାର ମୂଲ୍ୟାୟନ ଦାୟିତ୍ୱ ଯଶୋବନ୍ତ ସାହୁ, ପରାଶର ଲୁହା, ଅରୁଣ ପାତ୍ର, ସୁମନାନନ୍ଦ ଖମାରୀ, ଚୌବନ ଜାନି, ଲକ୍ଷ୍ମୀକାନ୍ତ ସେଠ, ଆଶିଷ ପଧାନ, ନବକୃଷ୍ଣ ନିଆଲ ଓ ଝୁନୁରାଣୀ ନନ୍ଦ ପ୍ରମୁଖ ତୁଲାଇଥିଲେ। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ପ୍ରତିଯୋଗୀମାନେ ନିଜର ଶ୍ଳୋକ ଆବୃତ୍ତି ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ ବରିଷ୍ଠ ବର୍ଗରେ ଆଦ୍ୟାଶା ମିଶ୍ର, ଆଦ୍ୟାଶା ଦାଶ, ତନ୍ମୟା ଛୁରା ଓ ହିରାବତୀ ପୁଟେଲ; କନିଷ୍ଠ ବର୍ଗରେ ଅର୍ଚ୍ଚନା ବାଗ, ରାଣୀ ଛୁରା ଓ ଶ୍ରୀୟାସ୍ମିତା ରଶ୍ମିରାଣି ସାହୁ; ଉପକନିଷ୍ଠ ବର୍ଗରେ ଆଦ୍ୟାଶା ବଘାର, ଆରାଧ୍ୟା ମହାରଣା ଓ ମିଲି ସେଠ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସଫଳ ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ୨୨ ତାରିଖରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ମୁରିବାହାଲ ବ୍ଲକର ପ୍ରତିନିଧିତ୍ୱ କରିବେ। ଏହି ଆୟୋଜନ ଛାତ୍ରଛାତ୍ରୀଙ୍କ ମନରେ ସଂସ୍କୃତ ଭାଷାର ଶୁଦ୍ଧ ଉଚ୍ଚାରଣ, ଶ୍ଳୋକ ପାଠର ଶୈଳୀ ଓ ଭାରତୀୟ ଜ୍ଞାନ ପରମ୍ପରା ପ୍ରତି ଆଗ୍ରହ ଜାଗ୍ରତ କରିବା ସହ ଗୀତାର କର୍ମଯୋଗ, ଆତ୍ମସଂଯମ, ନିଷ୍ଠା ଓ ମାନବିକତା ଭଳି ମୂଲ୍ୟବୋଧକୁ ଦୈନନ୍ଦିନ ଜୀବନରେ ଆପଣାଇବା ପାଇଁ ଏକ ସୁନ୍ଦର ଅବସର ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।